ଶ୍ରାଦ୍ଧଦିବସ:ରାଜେନ୍ଦ୍ର ଲାହିରୀ-17-12-23

 ଶ୍ରାଦ୍ଧଦିବସ:ରାଜେନ୍ଦ୍ର ଲାହିରୀ ବଙ୍ଗଳା(ବର୍ତ୍ତମାନର ବାଂଲାଦେଶ) ସ୍ଥିତ ମୋହନପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ରାଜେନ୍ଦ୍ର ଲାହିରୀ । ତାଙ୍କ ପିତା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ରାଜେନ୍ଦ୍ରଙ୍କ ଜନ୍ମ ସମୟରେ ବଙ୍ଗରେ ଚାଲିଥିବା ଅନୁଶୀଳନ ଦଳର ଗୁପ୍ତ ଗତିବିଧିରେ ଯୋଗଦେବା ଅଭିଯୋଗରେ ତାଙ୍କ ପିତାଙ୍କୁ ବନ୍ଦୀ କରାଯାଇଥିଲା । ପିଲାଦିନୁ ଏ ଘଟଣା ରାଜେନ୍ଦ୍ରଙ୍କ କୋମଳ ମନରେ ଗଭୀର ରେଖାପାତ ସୃଷ୍ଟି କରିଥିଲା । ମାତ୍ର ନଅ ବର୍ଷ ବୟସରେ ହୃଦୟରେ ଦେଶପ୍ରେମର ବହ୍ନି ଜଳାଇ ବଙ୍ଗରୁ ଆସି ବାରାଣସୀରେ ପହଞ୍ôଚଲେ । ସେଠାରେ ଶିକ୍ଷା ସମାପ୍ତ କରି ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଲେ । କାକୋରୀ କାଣ୍ଡ ସମୟରେ ରାଜେନ୍ଦ୍ର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଇତିହାସରେ ଏମ୍‌ଏ କରୁଥିଲେ । ଏହି ଘଟଣା ପୂର୍ବରୁ ତାଙ୍କ ଭିତରେ ଥିବା ଦେଶପ୍ରେମ ଏବଂ ନିର୍ଭୀକତାକୁ ଦେଖି ବ୍ରିଟିଶ୍ ବି ଥରହର ହୋଇଥିଲେ । ୍ରାନ୍ତିକାରୀ ଶଚିନ୍ଦ୍ରନାଥ ସାନ୍ୟାଲ୍‌ଙ୍କ ସଂସ୍ପର୍ଶରେ ଆସିବା ପରେ ସେ ନିଜ ହୃଦୟର ଦେଶପ୍ରେମ ଭାବନାକୁ ଆହୁରି ଜାଗ୍ରତ କରିପାରିଲେ । ଶଚିନ୍ଦ୍ରନାଥ ରାଜେନ୍ଦ୍ରଙ୍କୁ ନିଜ ଦଳରେ ସାମିଲ କରି ବନାରସର ‘ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିଭୋଲ୍ୟୁସନ୍ ଆର୍ମି ପାର୍ଟି’ର ପ୍ରଭାରୀ କରିଦେଲେ । ହିନ୍ଦୁସ୍ତାନ ରିପବ୍ଲିକାନ୍ ଆସୋସିଏସନ୍‌ର ଗୁପ୍ତ ବୈଠକରେ ମଧ୍ୟ ତାଙ୍କୁ ସ୍ଥାନିତ କରାଗଲା । ଏତିକିବେଳେ କ୍ରାନ୍ତିକାରୀଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ପାଇଁ ତତ୍କାଳ ଅର୍ଥର ଅଭାବ ଦେଖାଗଲା । ଏଣୁ ଇଂରେଜ ସରକାରଙ୍କ ସମ୍ପତ୍ତି ଲୁଟିବାକୁ ଯୋଜନା ହେଲା । ଏହି ସମୟରେ ଲକ୍ଷ୍ନୌର କାକୋରୀରୁ ଏକ ରେଳଗାଡ଼ିରେ ଇଂରେଜଙ୍କ କିଛି ଲୁକ୍କାୟିତ ଧନ ଯାଉଥିବାର ଖବର ପାଇ ତା’ ଉପରେ ଆକ୍ରମଣ କଲେ ରାମପ୍ରସାନ ବିସ୍‌ମିଲ, ଆଶଫାକ୍ ଉଲ୍ଲା, ଠାକୁର ରୋଶନ୍‌ସିଂହ ଏବଂ ରାଜେନ୍ଦ୍ର ଲାହିରୀଙ୍କ ସମେତ ୧୯ଜଣ କ୍ରାନ୍ତିକାରୀ । କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଘଟଣାରେ ଏମାନେ ଇଂରେଜ ହାତରେ ଧରାପଡ଼ିଲେ । ସରକାରୀ ସମ୍ପତ୍ତି ଲୁଟ୍ ମାମଲାରେ ଏକ ବିଶେଷ ଅଦାଲତ ଏମାନଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ । ରାଜେନ୍ଦ୍ର ଲହିରୀଙ୍କୁ ୧୯୨୭ ମସିହା ଆଜିର ଦିନରେ ଫାଶୀ ଖୁଣ୍ଟରେ ଝୁଲାଯାଇଥିଲା ।


Comments