ବିନାୟକ ଦାମୋଦର ସାବରକର୍
ଭାରତ ଭୂମିରେ ଅନେକ ବୀର ପୁରୁଷ ଜନ୍ମ ନେଇଛନ୍ତି । ଯାହାଙ୍କ ଗାଥା ଓ ଇତିହାସ ଶୁଣିଲେ ଛାତି ଗର୍ବରେ ଫୁଲିଯାଏ । ସେମିତି ଜଣେ ବୀରପୁରୁଷ ହେଉଛନ୍ତି ବିନାୟକ ଦାମୋଦର ସାବରକର । ତାଙ୍କୁ ଯୁଗ ପୁରୁଷ ବୋଲି ମଧ୍ୟ କୁହାଯାଏ । ସେ ଜଣେ ହିନ୍ଦୁତ୍ୱବାଦୀ, ରାଜନୈତିକ ଚିନ୍ତକ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ନିଜର ଏହି ବିଚାରକୁ ଅଭିବ୍ୟକ୍ତ କରିବାରେ ସେ କୌଣସି ପ୍ରକାରର ସଙ୍କୋଚ କରିନାହାନ୍ତି । ଜଣେ କ୍ରାନ୍ତିକାରୀ ହେବାସହ ବୀର ଦାମୋଦର ଏକାଧାରାରେ ଜଣେ ଭାଷାବିତ୍, ବୁଦ୍ଧିଜୀବୀ, କବି, ଲେଖକ ଓ ଔଜସ୍ୱୀ ବକ୍ତା ଥିଲେ । ବିନାୟକଙ୍କ ଜନ୍ମ ୧୮୮୩ ମସିହା ମେ\' ୨୮ ତାରିଖରେ ନାସିକର ଭଗୁର ଗ୍ରାମରେ ହୋଇଥିଲା । ତାଙ୍କ ବାପା ଦାମୋଦର ପନ୍ତ ଗ୍ରାମର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ । ଯେତେବେଳେ ବିନାୟକା ୯ବର୍ଷର ହୋଇଥିଲେ ସେତେବେଳେ ମା\'ରାଧାବାଈଙ୍କୁ ହରାଇଥିଲେ । ମା\'ଙ୍କ ଦେହାନ୍ତ ପରେ ବାଳକ ବିନାୟକ ଏକୁଟିଆ ଅନୁଭବ କଲେ । କିନ୍ତୁ ତାଙ୍କ ବଡ଼ଭାଇମାନେ ଏତେ ସ୍ନେହ ଦେଲେ ଯେ ସେ ସବୁ ଭୁଲିଗଲେ । ସର୍ବ ପ୍ରଥମେ ବିନାୟକ ନିଜ ବନ୍ଧୁଙ୍କ ସହ ମିଶି ମିତ୍ର ମେଳା ନାମରେ ଏକ ଦଳ ଗଠନ କଲେ । ଏହି ସମୟରେ ତାଙ୍କର ବିବାହ ଯମୁନାବାଈଙ୍କ ସହ ହୋଇଗଲା । ଯମୁନାବାଈ ବିନାୟକଙ୍କୁ ଉଚ୍ଚଶିକ୍ଷା ଲାଭ କରିବାରେ ବେଶ୍ ସାହାଯ୍ୟ କଲେ । ରାଜନୀତିରେ ସକ୍ରିୟ ହେବାପରେ ପ୍ରଥମେ ୧୯୦୫ରେ ବଙ୍ଗ-ଭଙ୍ଗ ପରେ ବିଦେଶୀ ବସ୍ତୁର ବହିଷ୍କାର କରିବାକୁ ଉପାୟ ଖୋଜିଲେ । ବିନାୟକ ଜଣେ ପ୍ରଖ୍ୟାତ ଲେଖକ ଥିଲେ । ଇଣ୍ଡିଆନ୍ ସୋସିଓଲୋଜିଷ୍ଟ, ତଲବାର, ଲଣ୍ଡନ, ଟାଇମ୍ସ ଭଳି ପତ୍ରିକାରେ ସେ ଜଣେ ସ୍ତମ୍ଭକାର ଭାବେ ପରିଚିତ ଥିଲେ । ତେବେ ସାବରକର୍ ଭାରତର ପ୍ରଥମ ଓ ବିଶ୍ୱର ଏକମାତ୍ର ଲେଖକ ଥିଲେ ଯାହାଙ୍କ ପୁସ୍ତକ ପ୍ରକାଶିତ ହେବା ପୂର୍ବରୁ ବ୍ରିଟେନ୍ ଓ ବ୍ରିଟିଶ ଔପନିବେଶିକ ସାମ୍ରାଜ୍ୟର ସରକାର ପ୍ରତିବନ୍ଧକ ଲଗାଇଥିଲେ । ବୀର ଦାମୋଦରଙ୍କୁ କଠୋର ହିନ୍ଦୁତ୍ୱବାଦୀ ବୋଲି ବିଶ୍ୱାସ କରାଯାଏ । ହୁଏତ ଏହି କାରଣ ଯୋଗୁଁ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ବିନାୟକ ସାମିଲ ଅଛନ୍ତି ବୋଲି ପ୍ରହେଳିକା ଉଠିଲା । ଜୀବନସାରା ଦେଶକୁ ସ୍ୱାଧୀନ କରିବା ପାଇଁ ନିଜକୁ ସମର୍ପିତ କରିଥିବା ବିନାୟକଙ୍କ ଉପରେ ଏଭଳି ଆରୋପ ଲାଗିବା ଫଳରେ ତାଙ୍କ ଛବି ଖରାପ ହୋଇଗଲା । ଗାନ୍ଧିଜୀଙ୍କ ହତ୍ୟାକାଣ୍ଡ ମାମଲାରେ କୋର୍ଟ ତାଙ୍କୁ ମୁକ୍ତ କରିଦେଲା ସତ କିନ୍ତୁ ଉକ୍ତ ଘଟଣା ତାଙ୍କୁ ବଡ଼ ବ୍ୟଥିତ କରିଥିଲା । ସାବରକର ଜଣେ ପ୍ରଖ୍ୟାତ ସମାଜ ସୁଧାରକ ଥିଲେ । ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ସାମାଜିକ ଓ ସାର୍ବଜନିକ ସୁଧାର ସମାନ ମହତ୍ୱ ରଖିଥାନ୍ତି । ଏମାନେ ପରସ୍ପରର ପରିପୂରକ । ୧୯୬୬ ମସିହା ଆଜିର ଦିନରେ ସାବରକର ଚିରଦିନ ପାଇଁ ଆଖି ବୁଜିଥିଲେ ।
Comments
Post a Comment